ଅର୍ଥ କୋଇଲି

 

 

 

 

 

 

 

 

 

 

ଅର୍ଥ କୋଇଲି

ଅତିବଡ଼ୀ ଜଗନ୍ନାଥ ଦାସ

 

 

ଓଡ଼ିଶା ସାହିତ୍ୟରେ ଷୋଡ଼ଶ ଶତାବ୍ଦୀର ଭକ୍ତକବି ଜଗନ୍ନାଥ ଦାସଙ୍କର ସ୍ଥାନ ଅତି ଉଚ୍ଚରେ । ତାଙ୍କର ପ୍ରଣୀତ ‘ଭାଗବତ’ ଶହ ଶହ ବର୍ଷ ଧରି ଓଡ଼ିଶାର ସାହିତ୍ୟ ତଥା ଜାତୀୟତାର ପ୍ରତିମୂର୍ତ୍ତି ରୂପେ ପୂଜିତ ହୋଇ ଆସୁଛି । ଓଡ଼ିଶାର ପୁରପଲ୍ଲୀର ‘‘ଭାଗବତ ଘର’’ ଜଗନ୍ନାଥ ଦାସଙ୍କ ମହତୀ ପ୍ରେରଣାର ସୃଷ୍ଟି । ଦିବାକର ଦାସଙ୍କ ‘‘ଜଗନ୍ନାଥ ଦାସଙ୍କ ମହତୀ ପ୍ରେରଣାର ସୃଷ୍ଟି । ଦିବାକର ଦାସଙ୍କ ‘‘ଜଗନ୍ନାଥ ଚରିତାମୃତ’’ରୁ ଏହି ପୁଣ୍ୟାତ୍ମା କବିଙ୍କ ଜୀବନୀ ସମ୍ୱନ୍ଧରେ ବହୁ ପ୍ରମାଣିତ ତଥ୍ୟ ମିଳିଥାଏ । ଅନୁମାନ କରାଯାଏ ଯେ ଅଷ୍ଟାଦଶ ବର୍ଷ ବୟସ ବେଳକୁ ଜଗନ୍ନାଥ ଦାସ ସଂସ୍କୃତ ଶ୍ରୀମଦ୍‍ ଭାଗବତର ଓଡ଼ିଆ ଅନୁବାଦ କାର୍ଯ୍ୟ ଆରମ୍ଭକରି ସାରିଥିଲେ । ଅବଶ୍ୟ ଏହା ଆକ୍ଷରିକ ଅନୁବାଦ ନୁହେଁ । ଶ୍ରୀ ଚୈତନ୍ୟଙ୍କ ସହ ଭେଟ, ସନ୍ନ୍ୟାସ-ଦୀକ୍ଷା ଗ୍ରହଣ ଜଗନ୍ନାଥ ଦାସଙ୍କ ସାଧକ-ଜୀବନର ଏକ ଏକ ବିଶିଷ୍ଟ ଘଟଣା ।

 

‘ଅର୍ଥକୋଇଲି’ କବିଙ୍କର ତତ୍ତ୍ୱସମ୍ୱନ୍ଧୀୟ ଲେଖା । ଆଧ୍ୟାତ୍ମିକ ପ୍ରସଙ୍ଗ ହିଁ ଏହି ‘‘କୋଇଲି’’ ରଚନାର ପ୍ରାଣନିର୍ଯ୍ୟାସ । କବିଜୀବନର ଅନୁଭୂତି, ଧର୍ମଧାରଣାର ସୂଚନାରେ ଏହି ରଚନାରେ ଅଭିବ୍ୟକ୍ତ । ପରମାତ୍ମାରୁ ଜୀବାତ୍ମାର ସୃଷ୍ଟି ଏବଂ ଶେଷରେ ତାହା ପରମାତ୍ମା ସହିତ ବିଲୀନ ହୁଏ । ସାଧାରଣ ଅର୍ଥ ଏବଂ ଗୂଢ଼ ତାତ୍ତ୍ୱିକ ଅର୍ଥରେ ସମଗ୍ର ରଚନାର ପରିକଳ୍ପନା ସୁବିନ୍ୟସ୍ତ । ଗୋପ-ମଥୁରା ପଟ୍ଟଭୂମିରେ ଜୀବାତ୍ମା ଓ ପରମାତ୍ମା ତତ୍ତ୍ୱର ଆରୋପ କରାଯାଇଛି । ‘‘କୋଇଲି’’ ଏଠାରେ ଜୀବସ୍ୱରୂପ, ମଥୁରା ପିଣ୍ଡସ୍ୱରୂପ; ହରିରସ ପାନ କବିଙ୍କ ବିଚାରରେ ହରିରସାମୃତ ପାନ ଏକାମାତ୍ର ଶ୍ରେୟଃପନ୍ଥା । ଅର୍ଜ୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ କଥୋପକଥନ ଛଳରେ ଜୀବପରମତତ୍ତ୍ୱ ହିଁ ବର୍ଣ୍ଣିତ ହୋଇଛି ।

 

ତୁଳାଭିଣା, ଦାରୁବ୍ରହ୍ମଗୀତା ପ୍ରଭୃତି ଜଗନ୍ନାଥ ଦାସଙ୍କର ରଚନା ।

 

କୋଇଲି କେଶବ ଯେ ମଥୁରାକୁ ଗଲେ

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ

।।

ଅର୍ଜ୍ଜୁନ ଉବାଚ

 

ଅର୍ଜ୍ଜୁନ ବୋଇଲେ ତୁମ୍ଭେ ଶୁଣ ମହାବାହୁ

ପୁଚ୍ଛିବି କଥାଏ ପ୍ରଭୁ ମୋତେ ଆଜ୍ଞା ହେଉ

।।

କେଶବ କୋଇଲି ନାଥ କାହାକୁ ଯେ କହି

ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି

।।

ଶ୍ରୀ ଭଗବାନୁବାଚ

 

ପାର୍ଥର ବଚନେ ଯେ ବୋଲନ୍ତି ଭଗବାନ

ଉତ୍ତମ କଥା ଏ ପାର୍ଥ ପଚାରିଲୁ ପୁଣ

।।

କୋଇଲି ବୋଲିଣ ପାର୍ଥ ଜୀବକୁଟି କହି

ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଟଇ

।।

ଆପେ ଆସିଥିଲା ଜୀବ ଆପେ ଚାଲିଗଲା

ସେହି ପୁତ୍ର ଗୋଟି ଆଉ ବାହୁଡ଼ି ନ ଅଇଲା

।।

ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନ ଅଇଲା

ମଥୁରା ସ୍ଵରୂପ ପିଣ୍ତ ପଡ଼ିଣ ରହିଲା

।।

କୋଇଲି ଖଣ୍ଡକ୍ଷୀର ଦେବି ମୁଁ କାହାକୁ

ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ

।।

ପୁଣ ପୁଣ ଅର୍ଜ୍ଜୁନ ଯେ ଚରଣେ ପଡ଼ଇ

ଆବର କଥାଏ ମୋତେ କହ ଭାବଗ୍ରାହୀ

।।

ଖଣ୍ଡକ୍ଷୀର କଥା ମୋତେ କହ ଭଗବାନ

ଶ୍ରୀହରି କହନ୍ତି ଏହା ଶୁଣ ହେ ଅର୍ଜ୍ଜୁନ

।।

ପିଣ୍ଡରେ ଥାଇଣ ଜୀବ ମହାସୁଖ ପାଇ

ଅନ୍ତର ହୋଇଣ ପୁନଃ ଅନ୍ୟସ୍ଥାନ ଯାଇ

।।

ଆକାଶେ ମିଶିଣ ଜୀବ ଅନ୍ୟ ପିଣ୍ଡେ ଗଲା

ହରିରସ ଖଣ୍ତକ୍ଷୀର ବିଅର୍ଥ ହୋଇଲା

।।

ଶୁଣିକରି ଅର୍ଜ୍ଜୁନ ହୋଇଲା ତୋଷମନ

ପୁଣ ପୁଣ କୃଷ୍ଣ ଆଗେ କହଇ ବଚନ

।।

କୋଇଲି ଗଲା ପୁତ୍ର ବାହୁଡ଼ି ନଇଲା

ଗହନ ତ ବୃନ୍ଦାବନ ଶୋଭା ନ ପାଇଲା ଲୋ

।।

ଗହନ ତ ବୃନ୍ଦାବନ ଶୋଭାକୁ ଯେ କହି

ଏ କଥା ବିସ୍ତାରେ ମୋତେ କହ ଭାବଗ୍ରାହୀ

।।

ଅର୍ଜ୍ଜୁନ ମୁଖକୁ ଚାହିଁ କମଳଲୋଚନ

ଯାହା ପଚାରିଲୁ ଶୁଣ ପଣ୍ତୁ ନନ୍ଦନ

।।

ଗହନ ବୋଲିଣ ପାର୍ଥ ଜୀବକୁଟି କହି

ଗୋପପୁର ଦେହ ଗୋଟା ଶୋଭାପାଉ ନାହିଁ

।।

ପିଣ୍ଡକୁ ପରମ ଯହୁଁ ଛାଡ଼ିକରି ଗଲା

ତେଣୁକରି ପିଣ୍ତ ଗୋଟା ଭୂମିରେ ପଡ଼ିଲା

।।

ଏମନ୍ତ ପ୍ରକାରେ ପାର୍ଥ ଗ ଅକ୍ଷର ଅର୍ଥ

ଏକମନେ ଶୁଣ ତୁ ହୋ ପଣ୍ତୁରାଜାସୁତ

।।

କୋଇଲି ଘର ମୋର ନ ମଣନ୍ତି ନନ୍ଦ

ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ

।।

ଘର ବୋଲି କରି ପାର୍ଥ ଯାହାକୁ ଟି କହି

ପାର୍ଥର ପିଣ୍ଡରେ ହସ୍ତ ଦେଲେ ଭାବଗ୍ରାହୀ

।।

ପରମ ଜୀବର ଅର୍ଥ ଶୁଣ ଫାଲଗୁନି

ଶୀସ୍ତ୍ରର ବିଚାର ତୋତେ କହିବା ଏକ୍ଷଣି

।।

ଘଟଣ ପୁରୁଷ ଯହୁଁ ଛାଡ଼ିକରି ଗଲା

ନନ୍ଦ ଯେ ପରମ ତହିଁ ନିଷ୍ଫଳ ହୋଇଲା

।।

ଜୀବଥିବା ଯାଏ ପିଣ୍ତ ଶୋଭା ପାଉଥାଇ

ଘଟଣ ପୁରୁଷ ଗଲା ଆସିବାକୁ ନାହିଁ

।।

ପରମକୁ ଜୀବ ଯହୁଁ ଘେନିକରି ଗଲା

ତେଣୁ କରି ଘର ଗୋଟା ଅଶୋଭା ଦିଶିଲା

।।

କୋଇଲି ନନ୍ଦ-ଦେହ ପାଷାଣେ ଗଢ଼ିଲା

ନୟନେ କଜ୍ଜ୍ୱଳ ଦେଇ ରଥେ ବସାଇଲା

।।

ଅର୍ଜ୍ଜୁନ ବୋଇଲେ ତୁମ୍ଭେ ଶୁଣ ଜଗନ୍ନାଥ

ନନ୍ଦ ଦେହ ବୋଲି କରି କାହୁଁ ହେଲା ଜାତ

।।

ଅର୍ଜ୍ଜୁନ ବଚନେ ଯେ ବୋଲନ୍ତି ଭଗବାନ

ନନ୍ଦ ଦେହ ବୋଲି ପାର୍ଥ ଦେହକୁଟି ଜାଣ

।।

ଏ ଜୀବ ଛାଡ଼ିଣ ଯହୁଁ ଅନ୍ତରୀକ୍ଷେ ଗଲା

ନିରାଶ ହୋଇଣ ଆଉ ବାହୁଡ଼ି ନଅଇଲା

।।

ଯେତେବେଳେ ପିଣ୍ଡରୁ ଟି ଜୀବ ଛାଡ଼ିଯାଇ

ବେନି ନୟନରୁ ଅଶ୍ରୁ ଯାଉଥାଏ ବହି

।।

କଜ୍ଜ୍ୱଳ ବୋଲିଣ ତାକୁ ଶାସ୍ତ୍ର ଅଛି କହି

ପୁଣ ପୁଣ ଅର୍ଜ୍ଜୁନ ଯେ ଦଇନି କରଇ

।।

କୋଇଲି ଚଳୁଥାଇ କଟିସ୍ଥ ମେଖଳୀ

ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ

।।

ଅର୍ଜ୍ଜୁନ ବଚନ ଶୁଣି କମଳଲୋଚନ

ଯାହା ପଚାରିଲୁ ଶୁଣ ପାଣ୍ଡୁର ନନ୍ଦନ

।।

ପିଣ୍ଡର ପରମ ଯେବେ ଲୀଳା କରୁଥାଇ

ନିଶ୍ଚଳ ହୋଇଣ ପିଣ୍ଡ ଯନ୍ତ୍ର ଚଳୁଥାଇ

।।

ପରମକୁ ଘେନି ଯହୁଁ ଜୀବ ଚଳିଗଲା

ଯନ୍ତ୍ରମାନ ନିଶ୍ଚଳ ଯେ ହୋଇଣ ରହିଲା

।।

ସୂତ୍ରେ ଚଳୁଥିଲା ପିଣ୍ଡ ଜୀବ ଆଶ୍ରା ପାଇ

ପଦେ ପଦେ କରି ଶୁଣ ସୁଭଦ୍ରାର ସାଇଁ

।।

କୋଇଲି ଛାଟେକ ମୁଁ ମାଇଲି ପୁତ୍ରକୁ

ଛାଡ଼ିକରି ଗଲା କୃଷ୍ଣ ମଥୁରାପୁରକୁ ଲୋ

।।

ଛଛନ୍ଦ୍ର ହୋଇଣ ଜୀବ ଛାଡ଼ିକରି ଗଲା

କ୍ଷିତିରେ ପଡ଼ିଣ ମୋହମାୟାକୁ ଛାଡ଼ିଲା

।।

ଛାଟେକ ପ୍ରକୃତି ପାର୍ଥ ପିଣ୍ଡ ମଧ୍ୟେ ଥାଇ

ଛାଡ଼ିକରି ଗଲା ଜୀବ କ୍ଷୋଭମନ ହୋଇ

।।

ପୂର୍ବକଥା ବିଚାରିଣ ଗଲା ନିଜପୁରୀ

ଅର୍ଜ୍ଜୁନ ଆଗରେ ଏହା କହିଲେ ଶ୍ରୀହରି

।।

ଏମନ୍ତ ପ୍ରକାରେ ପାର୍ଥ ଛ ଅକ୍ଷର ବାଣୀ

ଶାସ୍ତ୍ର ବିଚାର ଏହା ମିଥ୍ୟା ନୋହେ ପୁଣି

।।

କୋଇଲି ଦୂତ ପଣେ ଅଇଲା ଅକ୍ରୂର

ଯାତ୍ରା ବୋଲି ଭଣ୍ଡିନେଲା ବସାଇ ରଥର ଲୋ

।।

ଜୀବ ଗଲେ ପରମ ଯେ କ୍ଷଣେ ନ ରହଇ

ଦୂତ ପଣେ ବୋଲି ପାର୍ଥ ପରମକୁ କହି

।।

ଯାତ୍ରା ଏ ଯେ ଖେଳଘର ସଂସାର ଅଟଇ

ଅକ୍ରୂର ବୋଲିଣ ପାର୍ଥ ମୁହିଁ ଟି ବୋଲାଇ

।।

ରଥ ବୋଲି କରି ଯାହା ପଚାରିଲୁ ପାର୍ଥ

ଜୀବ ଗଲେ ପିଣ୍ଡଟି ହୁଅଇ ଭୂମିଗତ

।।

କୋଇଲି ଝୁରୁ ଝୁରୁ ଲୁହ ନ ରହିଲା

ଝଗଡ଼ା ସାରିଣ କୃଷ୍ଣ ମଧୁରା ରହିଲା ଲୋ

।।

ପୁଣ ପୁଣ ଅର୍ଜ୍ଜୁନ ଯେ ଚରଣେ ପଡ଼ଇ

ଝୁରୁଅଛି କେଉଁ ସ୍ଥାନ କହ ଭାବଗ୍ରାହୀ

।।

ଜୀବକୁ ନ ଦେଖିଣ ପ୍ରକୃତି ଝୂରୁଥାନ୍ତି

ଝଗଡ଼ା ସଂସାର ଗୋଟି କରି ଯାନ୍ତି

।।

ଝଗଡ଼ା ସଂସାର ପାର୍ଥ ପଚାରିଲୁ ଯେତେ

ପଦେ ପଦେ କରି ଏବେ କହିଦେଲୁଁ ତୋତେ

।।

କୋଇଲି ନିଶାକାଳେ ହରି ମାଗେ ଚାନ୍ଦ

ନୟନ ଟେକିଣ ତାଙ୍କୁ ରାଉଥାନ୍ତି ନନ୍ଦ ଲୋ

।।

ନିଶାକାଳ ବୋଲି ପାର୍ଥ ବକ୍ଷକୁ ଟି କହି

ଚାନ୍ଦ ବୋଲି ପରମ ନଗର ଘର ସେହି

।।

ନନ୍ଦ ଯେ ପରମ ପାର୍ଥ ବାମଚକ୍ଷୁ ଜାଣୁ

ନୟନ ବୁଜିଲେ ଯେ ଅନ୍ଧାର ଦିଶେ ତେଣୁ

।।

ନିଶାକାଳ ଅର୍ଥ ଶୁଣ ପାର୍ଥ ମନ ଦେଇ

ଯାହା ପଚାରିଲୁ ପାର୍ଥ ଯୁଧିଷ୍ଠିର ଭାଇ

।।

ଶୁଣି କରି ଅର୍ଜ୍ଜୁନ ହୋଇଟି ତୋଷମନ

କାର୍ପଣ୍ୟ ହୋଇଣ ପୁଣ ପୁଚ୍ଛଇ ବଚନ

।।

କୋଇଲି ଟହ ଟହ ହସୁଥାନ୍ତି କୋଳେ

ଟଳ ଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ

।।

ଟଳ ଟଳ ବନ୍ଧୁ ପାର୍ଥ ନାସାକୁ ଟି କହି

ଟାକି ରହିଅଛି ଜୀବ ଛାଡ଼ିଯିବା ପାଇଁ

।।

ତ୍ରିକୂଟ ମଧ୍ୟରେ ଟଙ୍କଧରଙ୍କ ଆସ୍ଥାନ

ସେଠାକୁ କହଇ କୋଳ ବୋଲି ହେ ଅର୍ଜ୍ଜୁନ

।।

ତହିଁର ଉପରେ ହରିବୋଲ ଯେ ବାଜଇ

ପରମକୁ ଘେନି ଜୀବ ଶୂନ୍ୟରେ ରହଇ

।।

ଟଳବନ୍ଧ ନୟନ ଯେ ଶୂନ୍ୟେ ଆତଯାତ

ଟଳିଣ ପଡ଼ିବ ପିଣ୍ଡ ହୋଇଣ ଅନାଥ

।।

କୋଇଲି ଠଣ ଯେ ସୁନ୍ଦର ବେନି ପୋଏ

ଠକି ଭଣ୍ଡିଗଲେ କୃଷ୍ଣ ନଇଲେ ବେଢ଼ାଏ ଲୋ

।।

ଠ ଅକ୍ଷରର ଅର୍ଥ ଶୁଣ ଫାଲଗୁନି

ଶାସ୍ତ୍ରର ବିଧାନ ତୋତେ ବୁଝାଇବା ପୁଣି

।।

ଠଣ ଯେ ସୁନ୍ଦର ଜୀବ ପରମକୁ କହି

ବାହୁଡ଼ି ନଇଲେ ସେ ଯେ ଅନ୍ୟ ସାହା ପାଇ

।।

ଠଣ ଦେହ ଗୋଟା ପାର୍ଥ କ୍ଷଣକରେ ଯିବ

ଶୁଣିକରି ଅର୍ଜ୍ଜୁନ ଯେ କରେ ବହୁ ସ୍ତବ

।।

କୋଇଲି ଡାକିଲେ ଭାଷଇ ଯେହ୍ନେ ସାରୀ

ଡାଳରତ୍ନ ଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ

।।

ଅର୍ଜ୍ଜୁନ ବଚନ ଶୁଣି କମଳଲୋଚନ

ଡାଳରତ୍ନ କଥା ତୁ ହୋ ଶୁଣସି ଅର୍ଜ୍ଜୁନ

।।

ଚାରିଡାଳ ଏ ପିଣ୍ଡକୁ ଆବୋରି ରହିଛି

ଏହାର ମଧ୍ୟରେ ଜୀବ ଭ୍ରମଣ କରୁଛି

।।

ପିଞ୍ଜରୀ ଭିତରେ ଯେହ୍ନେ ଶୁଆପକ୍ଷୀ ଥାଇ

ପିଣ୍ଡର ପରମ ଜୀବ ସେହିମତି ହୋଇ

।।

ଶୁଣିକରି ଅର୍ଜ୍ଜୁନ ହୋଇଲା ତୋଷଚିତ୍ତ

ଢ, ଅକ୍ଷର ଅର୍ଥ ମୋତେ କହ ଗୋପୀନାଥ

।।

କୋଇଲି ଢଳହଳ ନୟନେ କଜ୍ଜ୍ୱଳ

ଢଳଇ ନାସାରେ ମୋତିମାଣିକ୍ୟର ଫଳ ଲୋ

।।

ଢଳହଳ ବୋଲି ପାର୍ଥ ଭ୍ରୂଲତାକୁ କହି

ମୋତିବର ବେନି ଚକ୍ଷୂ ଢଳହଳ ହୋଇ

।।

ଚକ୍ଷୁର ଲୋତକଧାରା ଯାଉଥାଇ ବହି

କଜ୍ଜ୍ୱଳ ବୋଲିଣ ତାହା ଶାସ୍ତ୍ରେ ଅଛି କହି

।।

ଢଳିଣ ପଡ଼ିବ ଜୀବ କ୍ଷଣକ ଭିତର

ଢ ଅକ୍ଷର ଅର୍ଥ ଶୁଣ ପାଣ୍ଡୁର କୁମର

।।

କୋଇଲି ଅନେକ ହିଂସିଲା ରାୟ କଂସ

ଅଣହେଳା କରିଣ ଆପଣେ ଗଲା ନାଶ ଲୋ

।।

ଅଣଆୟତ୍ତରେ ଜୀବ ହୋଇଛି ବନ୍ଦନ

କଂସପୁର ଶୂନ୍ୟ ପାର୍ଥ ହେତୁକରି ଜାଣ

।।

ଅଣହେଳା କଲେ ଜୀବ କ୍ଷଣକରେ ଯିବ

ତେଣୁକରି ଆପଣେ ଯେ ବିଅର୍ଥ ହୋଇବ

।।

ଅଣ ହେତୁ କରିଣ ଯେ ପିଣ୍ଡ ନାଶ ଯାଇ

ଅଲେଖ ପୁରୁଷ ଗଲେ ପାଇବୁ ତୁ କାହିଁ

।।

ଅଣଅକ୍ଷରର ଅର୍ଥ ଶୁଣି ବୀରମଣି

ଆନନ୍ଦେ ଗଦ୍‍ଗଦ ହୋଇ ଯୋଡ଼େ ବେନି ପାଣି

।।

କୋଇଲି ତନୁରେ ତା ଲପିଲି କୁଙ୍କୁମ

ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ

।।

ତ୍ରିକୂଟ ସ୍ଥାନରେ ପୁଣି ହଂସ ଖେଳୁଥାଇ

ତ୍ରିବେଣୀଶିଖରୁ ନୀର ଆସୁଥାଇ ବହି

।।

ତଳକୁ ଖସିଣ ବନ୍ଧମୂଳେ ସେ ରହଇ

ତନୁ ତାର କୋମଳ ଯେ କ୍ଷଣକରେ ଯାଇ

।।

ବଳରାମ ପରମ ଯେ ଜୀବକୁ ଖେଳାଇ

ଯାହା ପଚାରିଲୁ ଶୁଣ ଯୁଧିଷ୍ଠୀର ଭାଇ

।।

କୋଇଲି ସ୍ତନ ଭାଙ୍ଗି କ୍ଷୀରପାନ ଦେଲି

ସ୍ଥବିର କାଳତୁ ପୁତ୍ର ଦେଖି ନ ପାରିଲି ଲୋ

।।

ଥକଘର ଛାଡ଼ିଣ ଯେ ଅନ୍ୟ ସ୍ଥାନ ଯିବ

ଥଳ ଯେ ସେ ମୋର ନାମ ବିଅର୍ଥ ହୋଇବ

।।

ସ୍ଥବିର ଯେ ବୁଢ଼ାକାଳ ଯହୁଁ ଘୋଟି ଗଲା

ସ୍ଥାନ ଭଗ୍ନ କରି ଜୀବ ଶୂନ୍ୟରେ ରହିଲା

।।

ଥକାଘର ସିନା ପାର୍ଥ କ୍ଷଣକରେ ଯିବ

ସ୍ଥବିର ହୋଇଣ ଜୀବ କାହିଁ ନ ରହିବ

।।

ଥ ଅକ୍ଷର ଅର୍ଥ ଯାହା ପଚାରିଲୁ ବୀର

ପଦେ ପଦେ କରି କହି ଦେଲେଟି ନିକର

।।

କୋଇଲି ଦଉଡ଼ିରେ ବାନ୍ଧିଲି ପୁତ୍ରକୁ

ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ

।।

ଦଉଡ଼ି ବୋଲିଣ ମାୟା ସଂସାର ଅଟଇ

ଦାମୋଦର କୃଷ୍ଣ ମୁହିଁ ପିଣ୍ଡ ମଧ୍ୟେ ଥାଇ

।।

ପରମ ବୋଲାଇ ଅବା ମୋତେ ମନ କରି

ପୂର୍ବ ଗୁଣ ସୁମରି ଯେ ଗଲା ଛାଡ଼ିକରି

।।

ମଥୁରା ଯେ ଶୂନ୍ୟସ୍ଥାନ ସେ ସ୍ଥାନେ ରହିଲେ

ଜୀବ ଯେ ପରମ ଦୁହେଁ ଏକତ୍ତ୍ୱ ହୋଇଲେ

।।

ଶୁଣିକରି ଅର୍ଜ୍ଜୁନ ଯେ କରଇ ଦଇନୀ

ଧ ଅକ୍ଷର ଅର୍ଥ ମୋତେ କହ ଦୟାମଣି

।।

କୋଇଲି ଧନ୍ୟ ସେହୁ ଦଇବକୀ ନାରୀ

ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି ଲୋ

।।

ଧର୍ମପଦ ଘେନି ଜୀବ ପିଣ୍ଡରେ ରହିଲା

ଧରଣୀରେ ପଡ଼ି ସଦଜ୍ଞାନ ହରାଇଲା

।।

ଧର୍ମରେ ଚଳଇ ଜୀବ ଅଧର୍ମରେ ଯାଇ

ଧ୍ରୂବ ଏ ଚରିତ ମିଥ୍ୟା ନ ମଣ ଯେ ତୁହି

।।

ଯେଉଁଆଡ଼େ ଧର୍ମନାଶ ସେହୁଆଡ଼େ ଯାଇ

ଅର୍ଜ୍ଜୁନ ଆଗରେ ଏହା କହିଲେ ବୁଝାଇ

।।

କୋଇଲି ନିରାଶ କରିଣ କୃଷ୍ଣ ଗଲେ

ନିଜଗୃହ ବାସ ବୋଲି ବେଢ଼ାଏ ନଇଲେ ଲୋ

।।

ନିରାଶ ହୋଇଣ ଜୀବ ଛାଡ଼ିକରି ଗଲା

ନିଜଘର ଗୋଟା ତେଣୁ ଅଶୋଭା ଦିଶିଲା

।।

ନିରାକାର ପୁରୁଷ ଏହାର ଖେଳଘର

ଆଦ୍ୟ ହୁଁ ସୃଜିଲା ପିଣ୍ଡ ମାନବ ଶରୀର

।।

ନିର୍ମଳ ଶରୀର ଗୋଟି ନିଷ୍ଫଳ ହୋଇଲା

ଶ୍ରୀହରି କହିଲେ ଏହା ଅର୍ଜ୍ଜୁନ ଶୁଣିଲା

।।

ଶୁଣି କରି ଅର୍ଜ୍ଜୁନ ହୋଇଲା କୃତ କୃତ

ପ ଅକ୍ଷର ଅର୍ଥ ମୋତେ କହ ଗୋପୀନାଥ

।।

କୋଇଲି ପବିତ୍ର ପୁରୁଷ ମୋ ମାଧୋଇ

ପବିତ୍ର ମୁଁ ହେଉଥିଲି କୃଷ୍ଣମୁଖ ଚାହିଁ ଲୋ

।।

ପବିତ୍ର ପୁରୁଷ ବୋଲି ମହାମନ୍ତ୍ର କହି

ପୁଣ୍ୟଦ୍ୱାର ବୋଲି ପାର୍ଥ କର୍ଣ୍ଣ ଯେ ଅଟଇ

।।

ଅପବିତ୍ର ପିଣ୍ଡ ପାର୍ଥ ପବିତ୍ର ହୋଇଲା

ଏଣୁ କରି ମହାମନ୍ତ୍ର କର୍ଣ୍ଣରେ କହିଲା

।।

ପରମାନନ୍ଦ ପୁରୁଷ ମୁହିଁଟି ଅଟଇ

ପଦେ ପଦେ କରି ଶୁଣ ଯୁଧିଷ୍ଠିର ଭାଇ

।।

କୋଇଲି ଫଳିବାକୁ ବଳ ନାହିଁ ମୋର

ଫଳିବାର ଫଳଗଲା ବାସୁଦେବ ପୁର ଲୋ

।।

ଏ ବୃକ୍ଷର ଫଳ ପାର୍ଥ ହରିରସ କହି

ଜୀବ ଗଲେ ଫଳମାନ ବିଅର୍ଥ ହୁଅଇ

।।

ବାସୁଦେବ ବୋଲି ପାର୍ଥ ମୁଖ ଗୋଟି କହି

ପରମ ଜୀବର ଯିବା ବାଟ ଅଟେ ସେହି

।।

ବେନି ମଧ୍ୟେ ଜୀବ ପରମର ପୁଣି ବାଟ ।

ପଦେ ପଦେ କରି ତୋତେ କହିଦେବା ପାର୍ଥ

।।

ବ୍ରହ୍ମଜ୍ଞାନ ଶୁଣି ପାର୍ଥ ହୋଇଲା ହରଷ

ପୁଣି ହିଁ କୃଷ୍ଣଙ୍କୁ ଚାହିଁ ହୁଅଇ ହରଷ

।।

କୋଇଲି ବହୁତ ସହିଲି ତାଙ୍କ ଅଳି

ବଡ଼ାଇ ଶରଧା ଭାଙ୍ଗି ଗଲେ ବନମାଳି ଲୋ

।।

ବ୍ରହ୍ମା ବିଷ୍ଣୁ ଥାଇଣ ଏ ପିଣ୍ଡକୁ ଚଢ଼ିଲେ

ବଳଗଣ୍ଡି ବୋଲିଣ ଏହାର ନାମ ଦେଲେ

।।

ବହୁଅଛି ତ୍ରିବେଣୀଟି ଏହି ବୃକ୍ଷପର

ସେହି ରସ ପିଉଛନ୍ତି ଭକତ ମୋହର

।।

ବଙ୍କୁନାଳ ସଳଖରେ ଗୋଲହାଟପୁର

ମିଶିଛନ୍ତି ବ୍ରହ୍ମାବିଷ୍ଣୁ ତ୍ରିକୂଟ ମଧ୍ୟର

।।

ଏ ବୃକ୍ଷ ଫଳ ସରିଲେ ସେହି ନ ରହନ୍ତି

ଅର୍ଜ୍ଜୁନ ଆଗରେ ଏହା ଶ୍ରୀହରି କହନ୍ତି

।।

କୋଇଲି ଭଣ୍ଡି ମୋତେ ଗଲେ ବେନି ପୋଏ

ଭାଇ ତାଙ୍କ ବଳରାମ ନଇଲେ ବେଢ଼ାଏ ଲୋ

।।

ଭଣ୍ଡିକରି ଗଲା ଜୀବ ବାହୁଡ଼ି ନଇଲେ

ବଳରାମ ପରମ ଯେ ଛାଡ଼ିକରି ଗଲେ

।।

ଜୀବ ଯେ ପରମ ସ୍ଥାନ ଭ୍ରମର ଗୁମ୍ଫାରେ

ଭକ୍ତଜନମାନଙ୍କର ସୁଖ ସେହିଠାରେ

।।

ଡାହାଣ ଚକ୍ଷୁରେ ଜୀବ ପରମ ବାମେଣ

ତେଣୁକରି ଭ୍ରମରର ଗୁମ୍ଫା ବୋଲି ଜାଣ

।।

ଭ ଅକ୍ଷର ଅର୍ଥ ଯେତେ ପଚାରିଲୁ ବୀର

ପଦେ ପଦେ କରି ତୋତେ କହିଲୁଁ ନିକର

।।

କୋଇଲି ମଥୁରାକୁ ଯିବିକି ମୁଁ ଧାଇଁ

ମାଧବ ମଧୁସୂଦନ ଆଣିବି କଢ଼ାଇ ଲୋ

।।

ମଧୁପୁର ବାଟେ ଯହୁଁ ଜୀବ ଛାଡ଼ିଗଲା

ପରମ ଜୀବର ଆଉ ଦେଖା ଯେ ନୋହିଲା

।।

ମୁଖ ବାଟେ ଜୀବ ଯହୁଁ ବାହାର ହୁଅଇ

ମଧୁପୁର ବୋଲି ତେଣୁ ମୁଖଟି ବୋଲାଇ

।।

ମୁକୁନ୍ଦର ନାମ ବ୍ରହ୍ମଜ୍ଞାନଟି ଅଟଇ

ଶୁଣିକରି ଅର୍ଜ୍ଜୁନ ହେ ପୁଣ ପଚାରଇ

।।

କୋଇଲି ଯିବେ ଯେ ଆସିବେ ବୋଲି ଗଲେ

ଜଗତଜୀବନ କୃଷ୍ଣ ବେଢ଼ାଏ ନଇଲେ ଲୋ

।।

ଯାଉଁଳି କବାଟ ପାର୍ଥ ନାସାକୁ ଟି କହି

ଜୀବର ଆହାର ପାର୍ଥ ପବନ ଅଟଇ

।।

ଜଗତ-ଜୀବନ କୃଷ୍ଣ ଛାଡ଼ିକରି ଗଲା

ଯାଉଁଳି କବାଟ ପାର୍ଥ ନିଷ୍ଫଳ ହୋଇଲା

।।

ଜାଣି କରି ଯୋଗୀଜନେ ସେହି ଦ୍ୱାରେ ଭଜ

ନିଶ୍ଚଳେ ପାଇବ ଭେଟ ମହାମତ୍ତ ଗଜ

।।

ଯ ଅକ୍ଷର ଅର୍ଥ ଏବେ ଶୁଣିଲୁ ଅର୍ଜ୍ଜୁନ

କାର୍ପଣ୍ୟ ହୋଇଣ ପୁଣ କହଇ ବଚନ

।।

କୋଇଲି ରତ୍ନ ବସ୍ତ୍ର ଅଳଙ୍କାରମାନ

ରାମ-କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ

।।

ରତ୍ନ ବୋଲି କରି ପାର୍ଥ ପଚାରିଲୁ ଯାହା

ପଦେ ପଦେ କରି ତୋତେ କହିଦେବି ତାହା

।।

ପିଣ୍ଡକୁ ଯେ ବୋଲି ନାମରତ୍ନ ବୋଲି ତାହା

ବ୍ରହ୍ମା ବେଦବର ଆଣି ପ୍ରତିକାର କୁହା

।।

ରାମନାମ ପରମ ଯେ କୃଷ୍ଣ ନାମ ରାମ

ଶୋଭା ଦିଶେ ଏ ପିଣ୍ଡକୁ ଦୁଇ ଗୋଟି ନାମ

।।

ଶୁଣିକରି ଅର୍ଜ୍ଜୁନ ଯୋଡ଼ଇ ବେନି କର

ଲକ୍ଷ୍ମୀର ବଲ୍ଲଭ ନାଥ ମୋତେ ଦୟା କର

।।

କୋଇଲି ଲକ୍ଷ୍ମୀର ବଲ୍ଲଭ ନାରାୟଣ

ଲଳିତେଣ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ

।।

ଲକ୍ଷ୍ମୀପତି ନାରାୟଣ ଶୂନ୍ୟରେ ମିଶିଲା

ରାମପଦ ଗୋଟା ପଦ ନିଶବଦ ହେଲା

।।

ରାମପଦ ଚଳିଗଲା ମଥୁରାପୁରକୁ

ଶୂନ୍ୟ ହୋଇ ଗଲା ଜୀବ ମୃତ୍ୟୁ ଭବନକୁ

।।

ଲ ଅକ୍ଷରର ଅର୍ଥ ଶୁଣ ଫାଲଗୁନି

ପିଣ୍ଡ ଯେ ବ୍ରହ୍ମାଣ୍ଡ ତୋତେ ଭେଟାଇଲୁ ଆଣି

।।

କୋଇଲି ବୃନ୍ଦାବନ ନ ଶୋଭଇ ମୋର

ବତ୍ସା କିଏ ଚରାଇବ ଯମୁନାର ତୀର ଲୋ

।।

ବିନୟ ହୋଇଣ ପୁଣ ପାର୍ଥ ପଚାରଇ

ଚ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ

।।

ବୃନ୍ଦାବନ ଗୋଟା ପାର୍ଥ ଦେହକୁଟି କହି

ବତ୍ସା ବୋଲି କରି ପାର୍ଥ ପ୍ରକୃତି ଅଟଇ

।।

ପିଣ୍ତରୁ ପରମ ଜୀବ ଅନ୍ତର ହୋଇଲା

ବୃନ୍ଦାବନ ତେଣୁ କରି ଅଶୋଭା ଦିଶିଲା

।।

ବ ଅକ୍ଷର ଅର୍ଥ ଶୁଣି ଅର୍ଜ୍ଜୁନ ସନ୍ତୋଷ

କୃଷ୍ଣର ହୋଇଣ ପୁଣି କହେ କୃଷ୍ଣଦାସ

।।

କୋଇଲି ଶ୍ରୀମନ୍ତ ପୁରୁଷ ମୋ ମାଧୋଇ

ଶିରୀରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ

।।

ଶ୍ରୀନୀଳକନ୍ଦର ପାର୍ଥ ଜୀବର ଆସନ

ଶ୍ରୀମନ୍ତ ପୁରୁଷ ଗଲେ ପିଣ୍ତ ହୁଏ ଲୀନ

।।

ନୀଳ ଯେ ମାଧବ ରୂପ କଣ୍ଠ ମଧ୍ୟେ ଥିଲା

ବ୍ରହ୍ମାଶିବ ଦେବ ପ୍ରାଣ ସେହି ଛାଡ଼ିଗଲା

।।

ମୃତ୍ୟୁପିଣ୍ତ କରି ଜୀବ ଛାଡ଼ିକରି ଗଲା

ନନ୍ଦର ପରମ ଜୀବ ଛାଡ଼ି ଚଳିଗଲା

।।

କୋଇଲି ସାତଦିନ ଇନ୍ଦ୍ର ବୃଷ୍ଟି କଲା

ସପତ ବରଷ ପୁତ୍ର ମନ୍ଦର ଧଇଲା ଲୋ

।।

ସପତ ଦଣ୍ତରେ ପିଣ୍ତୁ ପ୍ରାଣ ଛାଡ଼ିଯାଇ

ତେଣୁ କରି ସାତଦିନ ଶାସ୍ତ୍ରେ ଅଛି କହି

।।

ସାତବାର ଭିତରେ ଏ ଆତଯାତ ହୋଇ

ସପତ ବରଷେ ପାର୍ଥ ବ୍ରହ୍ମଜ୍ଞାନ ପାଇ

।।

ଜଳରୁ ଜନ୍ମଇ ପିଣ୍ତ ଜଳରେ ଯେ ନାଶ

ସପତ ଦଣ୍ତରେ ପାର୍ଥ ଘୋଟଇ ଆକାଶ

।।

ଶୁଣିକରି ଅର୍ଜ୍ଜୁନ ଯେ ହୋଇ ଦିବ୍ୟ ତୋଷ

ସ ଅକ୍ଷର ଅର୍ଥ ମୋତେ କହ ପୀତବାସ

।।

କୋଇଲି ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ

ସେହିପରି କ୍ଷୀଣ ହେଲେ ନନ୍ଦ ଯେ ରାଜନ ଲୋ

।।

ଶଶୀ ଚନ୍ଦ୍ର ଯେହ୍ନେ ପାର୍ଥ ଆକାଶରେ ଥାଇ

କଳଙ୍କ ମିଶିଲେ ସେ ଯେ ନାଶ ହିଁ ନ ପାଇ

।।

ପିଣ୍ଡରେ ଥାଇଣ ଜୀବ ସେହିମତି ନାଶ

ପ୍ରକୃତି ପୁରୁଷମାନେ ବେଢ଼ିଛନ୍ତି ପାଶ

।।

ଶଶୀ ପ୍ରାୟ ହେଲେ ପିଣ୍ତ ବାହାର ହୁଅଇ

ଏକ ମନେ ଶୁଣ ତୁ ହୋ ଯୁଧିଷ୍ଠିର ଭାଇ

।।

କୋଇଲି ହାଇ ଯେ ମାରଇ ପୁତ୍ର ତୁଣ୍ତ

ହୃଦରେ ଦେଖିଲେ ମାଏ ସପତ ବ୍ରହ୍ମାଣ୍ତ ଲୋ

।।

ହରଷ ହୋଇଣ ପୁଣ ପାର୍ଥ ପଚାରଇ

ହ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ

।।

ହରି-ହର-ବ୍ରହ୍ମା କେହି ରଖି ନ ପାରନ୍ତି

ହରଷ ହୋଇଣ ଜୀବ ପରମେ କହନ୍ତି

।।

ହରିନାମ ଭଜିଥିଲେ ବ୍ରହ୍ମଜ୍ଞାନ ପାଇ

ଅଶେଷ ବ୍ରହ୍ମାଣ୍ତ ପାର୍ଥ ହରିନାମ କହି

।।

କୋଇଲି କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ତ

କ୍ଷମାକର ଦୋଷ ମୋର ଭଣେ ମାରକଣ୍ତ ଲୋ

।।

କ୍ଷନ୍ଦଣି ଯେ ବୋଲାଯାଏ ମାୟା ଜନ୍ତୁଙ୍କର

କ୍ଷମା ଯେ କରୁଣାନିଧି ଏଥିର ବିଚାର

।।

ଭୃତ୍ୟଜନମାନଙ୍କୁ ସେ ଦଣ୍ତ ଦେବାପାଇଁ

ପିଣ୍ତ ଯେ ବ୍ରହ୍ମାଣ୍ତ ଏକ କରିଣ ବୁଝାଇ

।।

ଅର୍ଜ୍ଜୁନ ପଚାରିଲେ ଶ୍ରୀକୃଷ୍ଣ ଅର୍ଥ କଲେ

ଜଗନ୍ନାଥ ଦାସ ଏହା ପୁରାଣେ କହିଲେ

।।

କେଶବ କୋଇଲି ଅର୍ଥ ବ୍ରହ୍ମଜ୍ଞାନ ସାର

ଲବଣୀ ସାଗରୁ ଏ ଯେ ହୋଇଛି ବାହାର

।।

ସାଧୁଜନମାନେ ମୋର ନ ଘେନିବ ଦୋଷ

ଶ୍ରୀମୁଖରେ ଆଜ୍ଞା ଯାହା ଦେଲେ ପୀତବାସ

।।

Image